ଧରାକୋଟ ଥାନା ଛକ ଠାରୁ ତାଳପାଟଣା ଦେଇ ଜାତୀୟ ରାଜପଥ ୫୯ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସଂପ୍ରତି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ପ୍ରାୟ ୧୨୦୦ ମିଟର ଲମ୍ବର ଏହି ରାସ୍ତା ଏହି ଅଞ୍ଚଳର ଏକ ପ୍ରମୁଖ ଏବଂ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଧରାକୋଟ ର ବାଇପାସ୍ ରାସ୍ତା ଭାବରେ ଜଣାଶୁଣା। ଏହି ରାସ୍ତାରେ ପ୍ରତିଦିନ ଘରୋଇ ବସ,ଟ୍ରାକ୍ଟର, ଅଟୋ, ଟିପର, କାର ଏବଂ ଦୁଇଚକିଆ ମୋଟର ସାଇକେଲ ବହୁଳ ଭାବରେ ଯାତାୟାତ କରିଥାଏ। ଏହି ରାସ୍ତାଦେଇ ଋଷିକୂଲ୍ୟା ସେତୁ ପାରହୋଇ ଭଞ୍ଜନଗର ସହରକୁ ଗଲେ ୨୦ କିମି ଦୂରତା କାମ ପଡେ। ଠିକ ସେହିପରି ଧରାକୋଟ ବ୍ଲକର ଜଗମୋହନ, ଝରପାରି, ଝାଡବନ୍ଧ, ଜାହଡା ଓ ସିଙ୍ଗାପୁର ପଞ୍ଚାୟତକୁ ସଦରମହକୁମା ସହ ଏହା ଯୋଡ଼ିବାରେ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସାଧାରଣ ବଣ୍ଟନ ସାମଗ୍ରୀ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉନ୍ନୟନ କାମର ସାମଗ୍ରୀ ସହ ସାଧାରଣ ବ୍ୟକ୍ତିଙ୍କ ଗୃହ ନିର୍ମାଣ ସାମଗ୍ରୀ ସର୍ବୋପରି ପୋଲିସ ପେଟ୍ରୋଲିଙ୍ଗ ପାଇଁ ମଧ୍ୟ ଏହି ରାସ୍ତାର ଭୂମିକା ଗୁୁତ୍ବପୂର୍ଣ୍ଣ। ଏଣୁଏହାଏକ ବ୍ୟସ୍ତ ବହୁଳ ରାସ୍ତା। ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଋଷିକୁଲ୍ୟା ନଦୀ ଉପରେ ତାଳପାଟଣା ଠାରେ ସେତୁ ନିର୍ମାଣ ସମୟରେ ଏହି ରାସ୍ତା ପ୍ରାୟ ଆଠ ବର୍ଷ ପୂର୍ବେ ନିର୍ମାଣ କରାଯଇଥିବାବେଳେ ମଝିରେ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲା। ବର୍ତ୍ତମାନ ଏହା ବହୁଦିନ ହେଲା ମରାମତି ହୋଇନାହିଁ,ଏଣୁ ଏହାର ସ୍ଥିତି ନକହିବା ଭଲ। ଏସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଭଞ୍ଜନଗରଙ୍କ ସହ ଦୃଷ୍ଟି ଆକର୍ଷଣ ବେଳେ ରାସ୍ତାର ସ୍ଥିତାବସ୍ତା ସମ୍ପର୍କରେ ଅବଗତ ହେବାପରେ ରାସ୍ତା ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳର ସଂଯୋଗୀ କରଣ ରାସ୍ତା ନିର୍ମାଣ ପାଇଁ ସରକାର ଅଗ୍ରାଧିକାର ଦେଉଥିବାରୁ ବିଭାଗ ତରଫରୁ ଗୁରୁତ୍ବ ଦେଇ ଏହି ରାସ୍ତା ଯଥା ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସାଧାରଣ ଜନତା ଦାବୀ କରିଛନ୍ତି।

