ଦୁର୍ଦ୍ଦଶାରେ ପଟାସାଳ ସଉରା ସାହି ଲୋକେ, ଗାଁ ଦାଣ୍ଡ ଖାଲ ଘରେ ପଶୁଛି ପାହାଡ଼ିଆ ପାଣି

ଦୁର୍ଦ୍ଦଶାରେ ପଟାସାଳ ସଉରା ସାହି ଲୋକେ, ଗାଁ ଦାଣ୍ଡ ଖାଲ ଘରେ ପଶୁଛି ପାହାଡ଼ିଆ ପାଣି

0 0
Read Time:2 Minute, 49 Second

ଧରାକୋଟ ବ୍ଲକର ସାବା ପଞ୍ଚାୟତ ଅନ୍ତର୍ଗତ ପଟାଶାଳ ସଉରା ସାହିରେ ପ୍ରାୟ 40 ବର୍ଷ ଧରି 50 ରୁ ଅଧିକ ପରିବାର ବସବାସ କରିଆସୁଥିଲେ ମଧ୍ୟ ମୌଳିକ ସମସ୍ୟାରୁ ଏଯାଏଁ ମୁକ୍ତି ପାଇପାରିନାହାନ୍ତି। ବର୍ଷା ଦିନ ଆସିଲେ ସାହିବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଏ। ଗାଁ ଦାଣ୍ଡ ଦେଇ ପାହାଡ ଉପରୁ ଆସୁଥିବା ବର୍ଷା ପାଣି ଦୀର୍ଘଦିନ ଧରି ବହିଯିବା ଫଳରେ ରାସ୍ତାରେ ପ୍ରାୟ 3 ଫୁଟ ଗଭୀର ଖାଲ ସୃଷ୍ଟି ହୋଇଛି। ରାସ୍ତା ଅସମତୁଲ ହୋଇପଡ଼ିଥିବାରୁ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିଶେଷକରି ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ଅସୁସ୍ଥ ବ୍ୟକ୍ତିମାନେ ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଖାଲଖମାରେ ପଡ଼ି ଆହତ ହେଉଥିବା ଅଭିଯୋଗ ହୋଇଛି।ଅନ୍ୟପଟେ, ପାହାଡ଼ରୁ ଆସୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ର ସୁବିଧା ନଥିବାରୁ ଏହା ନିସ୍କାସନ ହୋଇନପାରି ଅନେକ ସମୟରେ ଲୋକଙ୍କ ଘର ଭିତରକୁ ପାଣି ପଶୁଛି। ଫଳରେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଯାହାକି ଛୋଟ ଛୋଟ ପିଲା, ବୃଦ୍ଧ, ବୃଦ୍ଧା ଓ ରୋଗୀମାନଙ୍କ ପାଇଁ ଅସୁବିଧାର କାରଣ ହୋଇଛି । ସାହିର ଅନେକ ଘର ଏଥିପାଇଁ ଏବେବି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଗାଁ ର ଅନେକ ଗରିବ ପରିବାର ଏବେବି ପକ୍କା ଘର ପାଇଁ ଅପେକ୍ଷା କରି ରହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ କିଛି ନିଆଯାଇନାହିଁ। ବର୍ଷ ପରେ ବର୍ଷ ବିତୁଛି, ସରକାର ବଦଳୁଛି, ଯୁଗ ମଧ୍ୟ ବଦଳୁଛି; କିନ୍ତୁ ପଟାଶାଳ ସଉରା ସାହି ଲୋକଙ୍କ ମୌଳିକ ସମସ୍ୟା ଯେମିତି ଥିଲା ସେମିତି ରହିଛି। ଏବେ ଲୋକଙ୍କ ପ୍ରଶ୍ନ—କାହାକୁ କରିବେ ଗୁହାରି? କେବେ ବଦଳିବ ପଟାଶାଳ ସଉରା ସାହିର ବାସ୍ତବ ଚିତ୍ର? କିଏ ଦେବ ଏହାର ଜବାବ? କେବେ ମିଳିବ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ପକ୍କା ଛାତ? ଏଣୁ ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି, ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ଓ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବାକୁ ସାହିବାସୀ ଦାବି କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍