କୃଷ୍ଣ ସିଂହ ସାହିତ୍ୟ ପରିଷଦ ଓ କଳିଙ୍ଗ ସାହିତ୍ୟ ସମାଜ ପ୍ରାୟୋଜିତ ଜାତୀୟ ସମ୍ପାନ
—————————————————
ଆସିକା, 0୫l0୩ : ଧରାକୋଟର ରାଜକବି କୃଷ୍ଣ ସିଂହ ଓଡ଼ିଆ ସାହିତ୍ୟରେ ଜଣେ ବିସ୍ମୟକାରୀ ବ୍ୟାସ l ତାଙ୍କ ରଚିତ ମହାଭାରତ ଓଡ଼ିଆ ସାହିତ୍ୟରେ ପୁରାଣ ରଚନାର ଏକ ନୂଆ ଧାରା ସୃଷ୍ଟି କଲା ବୋଲି ଡ. ବିବେକାନନ୍ଦ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି l
କୃଷ୍ଣ ସିଂହଙ୍କ ରଚିତ ସାରସ୍ୱତ ସୃଷ୍ଟି ସମୂହ ଓଡ଼ିଆ ବାଣୀ ଭଣ୍ଡାରକୁ ବିଶେଷ ଭାବରେ ପରିପୁଷ୍ଟ କରିଛି l କୃଷ୍ଣ ସିଂହ ପ୍ରଣୀତ ମହାଭାରତ, ହରିବଂଶ ଓ ରାମ ରସାୟନ ସମେତ ଅନେକ ଚଉପଦୀ ଓ ଚଉତିଶା ଓଡ଼ିଆ ଭାଷାର ଏକ ଏକ ଅମୂଲ୍ୟ ସମ୍ପଦ ଏବଂ ଏହି ସବୁ ଗ୍ରନ୍ଥରେ କୃଷ୍ଣ ସିଂହଙ୍କ ମୌଳିକତା ବିଶେଷ ଭାବରେ ପ୍ରକାଶ ପାଇଛି ବୋଲି ଏଠାରେ ଆୟୋଜିତ ‘ରାଜକବି କୃଷ୍ଣ ସିଂହଙ୍କ ସାରସ୍ୱତ ସମ୍ଭାର : ଏକ ଅନୁଶୀଳନ’ ଶୀର୍ଷକ ଜାତୀୟ ସମ୍ପାନରେ ମତ ପ୍ରକାଶ ପାଇଛି l
ସ୍ଥାନୀୟ କୃଷ୍ଣ ସିଂହ ସାହିତ୍ୟ ପରିଷଦ ଓ କଳିଙ୍ଗ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ସମ୍ପାନରେ କୃଷ୍ଣ ସିଂହଙ୍କ ସାରସ୍ୱତ ଜୀବନ ଓ କୃତି ସମୂହ ସମ୍ପର୍କରେ ଆଲୋଚନା କରାଯାଇଥିଲା l କୃଷ୍ଣ ସିଂହ ସାହିତ୍ୟ ପରିଷଦର ସଭାପତି ମେଜର୍ ରମାରମଣ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ପାନରେ କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟଅତିଥି ଓ ବିଶିଷ୍ଟ ସାହିତ୍ୟିକ ଡ. ବିବେକାନନ୍ଦ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ l କଳିଙ୍ଗ ସାହିତ୍ୟ ସମାଜ କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର ‘ରାଜକବି କୃଷ୍ଣ ସିଂହ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜର ଶାଖା ସଂସ୍ଥାନ ଦକ୍ଷିଣ ଓଡ଼ିଶା ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରକାଶିତ ଓ ଡ. କୃଷ୍ଣପ୍ରସାଦ ମହାପାତ୍ରଙ୍କ ଲିଖିତ ‘ରାଜକବି କୃଷ୍ଣ ସିଂହ’ ଶୀର୍ଷକ ପୁସ୍ତିକାକୁ ଆମନ୍ତ୍ରିତ ଅତିଥିମାନେ ଉନ୍ମୋଚନ କରିଥିଲେ l
ଏହି ଜାତୀୟ ସମ୍ପାନରେ ବିଶିଷ୍ଟ ସମାଲୋଚକ ଓ ସାହିତ୍ୟିକ ଡ. ବିବେକାନନ୍ଦ ପାଣିଗ୍ରାହୀଙ୍କୁ କଳିଙ୍ଗ ସାହିତ୍ୟ ସମାଜ ପ୍ରଦତ୍ତ ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ‘ରାଜକବି କୃଷ୍ଣ ସିଂହ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l ଡ. ହୃଷୀକେଶ ପଣ୍ଡା ପ୍ରାକ୍ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. କୁଳମଣି ଓଝା ପ୍ରାରମ୍ଭରେ ବୈଦିକ ଶ୍ଳୋକାବୃତ୍ତି ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ସମ୍ପାନର ସଂଯୋଜନା କରିଥିଲେ l ଏହି ସମ୍ପାନରେ ମେଜର୍ ରମାରମଣ ପାଢ଼ୀ, ଡ. ବନମାଳୀ ପାଣିଗ୍ରାହୀ, ଡ. ସନ୍ତୋଷ କୁମାର ଦାଶ, ଡ. କୁଳମଣି ଓଝା, ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଅମିତା ମିଶ୍ର (ଦାଶ), ହୃଷୀକେଶ ଦାଶ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ଡ. ବାୟାମନୁ ଚର୍ଚ୍ଚିଙ୍କ ରଚିତ ପ୍ରବନ୍ଧକୁ ଦୀନବନ୍ଧୁ ଶ୍ରୀପଲ୍ଲଵ ଓ ଡ. ବାସନ୍ତୀ ମହାନ୍ତିଙ୍କ ରଚିତ ପ୍ରବନ୍ଧକୁ ଅଧ୍ୟାପିକା ସଂଗୀତା ମିଶ୍ର ପାଠ କରିଥିଲେ l କୃଷ୍ଣସିଂହ ସାହିତ୍ୟ ପରିଷଦର ସହ-ସମ୍ପାଦକ ଡ. ରଞ୍ଜିତ କୁମାର ପଟ୍ଟନାୟକ, କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ନଳିନୀକାନ୍ତ ଗୌଡ଼ ଓ ଦୀନବନ୍ଧୁ ଶ୍ରୀପଲ୍ଲଵ ପ୍ରମୁଖ ଏହି ଜାତୀୟ ସମ୍ପାନ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l
କୃଷ୍ଣ ସିଂହ ସାହିତ୍ୟ ପରିଷଦ ସମ୍ପାଦକ ସରୋଜ କୁମାର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନକରିଥିବାବେଳେ ଉପ-ସଭାପତି ସୁରେନ୍ଦ୍ର ନାଥ ସାହୁ ପରିଶେଷରେ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

