ଧରାକୋଟ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ କେନାଲ ହେଉଛି ମଙ୍ଗଳପୁର କେନାଲ । ଜାହାଡା ଠାରୁ ଏହା ସୃଷ୍ଟି ହୋଇ ସୁକୁନଇ ଠାରେ ଋଷିକୂଲ୍ୟା ନଦୀ ସହ ଏହା ମିଶିଛି। ଏହି କେନାଲ ଜଗମୋହନ ଗ୍ରାମର ଚକରୋଡ ଦେଇ ପ୍ରବାହିତ । ବର୍ଷର ଅଧିକାଂଶ ସମୟରେ ଏହି କେନାଲରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଏହାକୁ ଅତିକ୍ରମ କରିବା କଷ୍ଟସାଧ୍ୟ ହେଉଥିଲା । ବାରମ୍ବାର ଅଭିଯୋଗ ପରେ ବ୍ରହ୍ମପୁର ଡ୍ରେନେଜ ବିଭାଗ ତରଫରୁ ଜଗମୋହନ ଡେରାସାହି ନିକଟ ଚକ ରୋଡ ଠାରେ କେନାଲ ଉପରେ ପଚାଶ ଲକ୍ଷ ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ ପାଇଁ ଅଜି ଭୂମିପୂଜା ଅନୁଷ୍ଠିତ ହୋଇଛି। ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମିପୂଜା କରିଥିବା ବେଳେ ଅତିଥି ଭାବରେ ସତିମଠ ମହନ୍ତ କୃପାସିନ୍ଧୁ ଦାସ, ବି ଜେ ଡି ଜିଲ୍ଲା ଉପସଭାପତି ରବୀନ୍ଦ୍ର ଘୋଷ, ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା,ସମବାୟ ବିତ ପ୍ରକାଶ ସାହୁ,ସନାତନ ପଣ୍ଡା ଏବଂ ବିଭାଗ ତରଫରୁ ସହକାରୀ ଯନ୍ତ୍ରୀ କାଳୀଚରଣ ହୋତା ଉପସ୍ଥିତ ରହିଥିଲେ। ଏହି ସେତୁ ନିର୍ମାଣ ହେବା ଦ୍ବାରା ମୁଣ୍ଡମରାଇ ସହ ଝାଡ଼ବନ୍ଧ, ଝରପାରି, ସାହାସପୁର ଓ ଜଗମୋହନ ପଞ୍ଚାୟତର ଲୋକଙ୍କ ସିଧସଳଖ ସଂଯୋଗ ହୋଇପାରିବ । ଏଣୁ ବିଭାଗର ଏହି ନିଷ୍ପତ୍ତିକୁ ଅଂଚଳ ବସି ସ୍ବାଗତ କରିଛନ୍ତି ।

