ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡାଙ୍କ ତତ୍ତ୍ବାବଧାନରେ ତଥା ରେଡକ୍ରସ୍ ୟୁନିଟର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଦେବବ୍ରତ ସାହୁଙ୍କ ସଂଯୋଜନାରେ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଅବସରରେ ପ୍ରଫେସର ପଣ୍ଡା ମୁଖ୍ୟ ଅତିଥି ରୂପେ ଏବଂ ମହାବିଦ୍ୟାଳୟ ଯୁବ ରେଡକ୍ରସ ୟୁନିଟର ସ୍ବେଚ୍ଛାସେବୀ ଛାତ୍ରମାନେ ଉପସ୍ଥିତ ଥିଲେ। ବିଶ୍ବ ରେଡକ୍ରସ୍ ଦିବସର ଆଭିମୁଖ୍ୟ ତଥା ଇତିହାସ ବିଷୟରେ ଅଧ୍ୟାପକ ଦେବବ୍ରତ ସାହୁ ରେଡକ୍ରସ୍ ସ୍ବେଚ୍ଛାସେବୀ ଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ରେଡକ୍ରସ୍ ପୃଷ୍ଟପୋଷକ ତଥା ପ୍ରତିଷ୍ଠାତା ସାର୍ ହେନରୀ ଡ୍ୟୁନୋଟଙ୍କ ସେବାପରାୟଣ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମାଜର ଦୁଃସ୍ଥ, ଅସହାୟ, ପିଡିତ ଏବଂ ନିଃସ୍ବ ମାନଙ୍କୁ ସେବା ପ୍ରଦାନ କରିବା ହେଉଛି ରେଡକ୍ରସ୍ ଏକ ଉପଯୁକ୍ତ ମାଧ୍ୟମ ବୋଲି କହିଥିଲେ। ଉପଦେଷ୍ଟା ରାଜେଶ୍ କୁମାର ସାହୁ ବିଶ୍ବ ରେଡକ୍ରସ ଦିବସ ସଂଦର୍ଭରେ ମାନବିକତାର ପାରାକାଷ୍ଠା ଉପରେ ଆଲୋକପାତ କରିଥିଲେ। ସ୍ବେଚ୍ଚାସେବୀ ଛାତ୍ର ଇ.ଗୋବିନ୍ଦ ରାଓ ସେବା ମାଧ୍ୟମରେ ଆମ୍ଭେ ସମସ୍ତଙ୍କ ହୃଦୟକୁ ଜିତିପାରିବା ବୋଲି କହିଥିଲେ। ପ୍ରୋଜେକ୍ଟର ଚଳଚିତ୍ର ଦ୍ବାରା ପ୍ରଥମ ତଥା ଦ୍ବିତୀୟ ବିଶ୍ବ ଯୁଦ୍ଧ ଏବଂ ଅନ୍ୟାନ୍ୟ ଯୁଦ୍ଧର ଭୟଙ୍କର ବିଭିଷୀକା ମଧ୍ୟରେ କ୍ଷତବିକ୍ଷତ ସୈନିକ ତଥା ଅସହାୟ ଲୋକଙ୍କ ପ୍ରତି ବିଶ୍ବ ରେଡକ୍ରସ ସ୍ବେଚ୍ଛାସେବକ ମାନେ କିପରି ଦେବଦୁତ ସାଜିଥିଲେ, ତାହାର ସବିଶଦ୍ ବିବରଣୀ ପ୍ରଦାନ କରାଯାଇଥିଲା। ପରିଶେଷରେ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

