ବୟସ , ମାତ୍ର ବାର ବର୍ଷ । ଦଉଡି ଉପରେ ବିପଦ ସଙ୍କୁଳ ଖେଳ ଚାଲିଛି। ଚାରିପଟେ ଭରପୁର ଦର୍ଶକ, ତା’ରି ମଝିରେ ଦଉଡ଼ି ଖେଳ ହେଉଛି। ଦେଖଣାହାରୀ ମନୋରଂଜନ ଯୋଗୁ ସେମାନେ ଯାହା ହାତଟେକି ଦିଅନ୍ତି , ସେତକରେ ଦାନା ଯୋଗାଡ ହୁଏ ଆଉ ପରିବାର ଚଳେ । ଗୋଟିଏ ସ୍ଥାନରେ ଖେଳ ସରିଗଲେ , ପୁଣି ସଜବାଜ ହେବାକୁ ପଡ଼େ ଅନ୍ୟ ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ । ଯୋଉଁଠି ସଞ୍ଜ ହୁଏ , ସେଠି ଘର ବସେ । ପରଦିନ ସକାଳୁ ପୁଣି ଖୋଜାପଡେ ,ଲୋକ ଗହଳି ସ୍ଥାନ । ଏମିତି ଗୋଟିଏ ପରେ ଗୋଟିଏ ସ୍ଥାନରେ ଖେଳ ଦେଖାଇ ପେଟ ପୋଷନ୍ତି , ଛତିଶଗଡ଼ ରୁ ଓଡ଼ିଶା ଆସି ବିପଦଶଙ୍କୁଳ ଖେଳ ପ୍ରଦର୍ଶନ କରୁଥିବା, କିଛି ପରିବାରଙ୍କ କଥା । ଯାଯାବର ଜୀବନ ବିତାଉଥିବା ଏହି ଛତିଶିଗଡି ପରିବାର। ଏବେ ଗଂଜାମ ଜିଲ୍ଲାର ବିଭିନ୍ନ ଗାଁ କୁ ବୁଲି ଏଭଳି ଖେଳ ଦେଖାଉଛନ୍ତି । ଲୋକେ ଏହି ଖେଳକୁ କିଛି ସମୟ ପାଇଁ , ଉତ୍ସୁକତାର ସହ ଦେଖନ୍ତି ସତ , ହେଲେ ଏଭଳି ବିପଦଶଙ୍କୁଳ ଖେଳ ପ୍ରଦର୍ଶନ ପ୍ରତି କୈାଣସି କଟକଣା ରହୁନଥିବା ଦେଖିବାକୁ ମିଳିଛି । ଛତିଶଗଡ ରୁ ଆସିଥିବା , ପରିବାର ର ୧୨ ବର୍ଷର ଝିଅ ରୋସନ୍ ରାଣୀ । ଗଲା ୩ ବର୍ଷ ଧରି ଦଉଡ଼ି ଉପରେ ଖେଳ ପ୍ରଦର୍ଶନ କରୁଛି । ୫ ମ ଶ୍ରେଣୀ ରେ ପାଠ ପଢୁଛି , ହେଲେ ପରିବାର ଲୋକେ ତାକୁ ତାଲିମ ଦେଇ , ଏଭଳି ଖେଳ ଦେଖାଇବାକୁ ସାଥିରେ ନେଇ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଏଭଳି ଖେଳରେ ବିପଦ ଥିଲେ ମଧ୍ୟ , ଅଭ୍ୟାସ ଯୋଗୁଁ ଏହା ସମ୍ଭବ ହୋଇପାରୁଛି ବୋଲି , ରୋଷନ୍ ରାଣୀ କହୁଛି । କେବଳ ପରିବାର ର ରୋଜଗାର ପାଇଁ , ଏଭଳି ବିପଦପୂର୍ଣ୍ଣ ଖେଳକୁ , ଆପଣେଇବାକୁ ପଡୁଛି ବୋଲି , ସାଥିରେ ଥିବା ପରିବାର ଲୋକେ , ଗଣମାଧ୍ୟମ ଆଗରେ କହିଛନ୍ତି । ଯଦି ସେମାନଙ୍କୁ କୈାଣସି ପ୍ରକାରେ , ସାହାଯ୍ୟ ଓ ସହଯୋଗ ମିଳନ୍ତା , ତା’ହେଲେ ଏଭଳି ଜୀବିକା ଠାରୁ ସେମାନେ ଦୂରରେ ରହି , ଅନ୍ୟ ରୋଜଗାର ପନ୍ଥା ଆପଣାଇଥାନ୍ତେ ବୋଲି , ଦେଖୁଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।

