ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତର ପଣିବନ୍ଧ ଗ୍ରାମର ବିଧାନ ସାହୁଙ୍କ ପୁଅ ମିଟୁ ସାହୁ ଏବେ କର୍କଟ ରୋଗରେ ପୀଡିତ। ପରିବାରର ଏକମାତ୍ର ରୋଜଗରକ୍ଷମ ବ୍ୟକ୍ତି ମିଟୁ। ଦୀର୍ଘଦିନ ହେଲା ସେ ସୁରତ ସହରରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହଠାତ୍ ଦିନେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେଠାରେ ଡାକ୍ତରଖାନାରେ ଦେଖାଇ ଔଷଧ ଖାଇଥିଲେ। ପେଟର ଯନ୍ତ୍ରଣା ନକମିବାରୁ ଗାଁକୁ ପଳାଇ ଆସିଥିଲେ। ଏଠାରେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ନେଇ ଚିକିତ୍ସା କରିବା ପରେ ପେଟ ଭିତରେ ଏକ ଘାଆ ସୃଷ୍ଟି ହୋଇ ଏହା କର୍କଟ ରୋଗ ଆଡ଼କୁ ଗତି କରୁଥିବା ଜାଣିବାକୁ ପାଇଲେ। ନିଜର ସାଧ୍ୟ ମତାବକ ସୁନା ରୂପା ଗହଣା ବନ୍ଧକ ରଖି ଚିକିତ୍ସା ଆରମ୍ଭ କରିଥିଲେ। କାରଣ ମିଟୁ ଙ୍କ ସ୍ତ୍ରୀ ପିଙ୍କି ସାହୁ ନାମରେ ଯେଉଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେଥିରେ ମିଟୁ ଙ୍କ ନା ନାହିଁ। ମିଟୁ ଙ୍କ ନା ଯୋଡିବା ପାଇଁ ସ୍ତ୍ରୀ ପିଙ୍କି ବ୍ଲକ୍ ଅଫିସ୍ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲେଣି । ହେଲେ ଏହା ସମ୍ଭବ ହୋଇ ପାରିନାହିଁ । ପାଖରେ ଆଉ କିଛି ସମ୍ବଳ ନାହିଁ ।ଘରେ କର୍କଟ ରୋଗରେ ପୀଡିତ ସ୍ଵାମୀ ସହ ଦୁଇ ପୁଅ ବିଭୂତି ଓ ତିରୁପତି କୁ ନେଇ ଜୀବନ ଯନ୍ତ୍ରଣା ର ଦୋଛକିରେ ସ୍ତ୍ରୀ ପିଙ୍କି। କଣ କରିବେ ଭାବି ଉପାୟ ଶୂନ୍ୟ ହୋଇ ଚାତକ ଭଳି ଚାହିଁ ବସିଛନ୍ତି ସରକାରୀ ସହାୟତା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ। ସବୁଠାରୁ ଦୁଃଖର କଥା ସରକାର ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେଇଛନ୍ତି,କିନ୍ତୁ ଏଥିରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ନା ନାହିଁ। ଫଳରେ ଠିକ୍ ସମୟରେ ଏହା କାମରେ ଆସୁନାହିଁ । ଏଣୁ ଗରିବ ପରିବାରର ସଦସ୍ୟ ଏଥିରୁ ଫାଇଦା ପାଇ ପାରୁ ନାହାଁନ୍ତି। ସେବା ପାଇବା ବଦଳରେ ଦୁର୍ଭାଗ୍ୟ କୁ ଆଦରି ନେଉଥିବା ଦେଖିବାକୁ ମିଳୁଛି।ଏଣୁ ସରକାର ଏଥିରେ ଏବଂ ରାସନ୍ କାର୍ଡରେ ମଧ୍ୟ ନାମ ଯୋଡିବା ବନ୍ଦୋବସ୍ତ କରନ୍ତୁ ।ନଚେତ ଏହା ଦରକାର ବେଳେ କାମରେ ଆସୁନାହିଁ।
କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ,ଚିନ୍ତାରେ ପରିବାର
Read Time:2 Minute, 34 Second

