ଗଞ୍ଜାମ ଜିଲ୍ଲା ରେଡ୍ଡୀ ସେବା ସଂଘମର ନୂତନ କର୍ମକର୍ତ୍ତାଙ୍କୁ ନେଇ ରବିବାର ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ ସ୍ଥିତ ଗୋକର୍ଣ୍ଣପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ମହାସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘମ ପକ୍ଷରୁ ଆୟୋଜିତ ମହାସଭାରେ ବଡଖେମୁଣ୍ଡି , ସାନଖେମୁଣ୍ଡି , ଶେରଗଡ ଓ ମହୁରୀ ତାଲୁକାର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତାଙ୍କ ଦ୍ଵାରା ଶପଥ ଗ୍ରହଣ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିକଟରେ ସାନଖେମୁଣ୍ଡିରେ ଅନୁଷ୍ଠିତ ସଭାରେ ଯୁବ ବିଜେଡି ଜିଲ୍ଲା ଉପସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ ଚାରି ତାଲୁକା ରେଡ୍ଡୀ ସେବା ସଂଘମର ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ଅନୁଷ୍ଠିତ ମହାସଭାରେ ସଭାପତି ଶ୍ରୀ ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ସଂଘମର ଜିଲ୍ଲା ସଭାପତି ଦିଲେଶ୍ବର ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଈ. ବିବେକ ରେଡ୍ଡୀ ସମେତ ଜିଲ୍ଲାର ଆସିକା , ବ୍ରହ୍ମପୁର , ଛତ୍ରପୁର , ଖଲିକୋଟ ଆଦି ପ୍ରମୁଖ ଜୋନରୁ ଆସିଥିବା ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ସହ କୁଳଦୀପ ପ୍ରଜ୍ବଳନ କରି ରେଡ୍ଡୀ ସମାଜର ସଂସ୍କୃତିକୁ ନୂତନ ଆଲୋକ ଦେଖାଇବା ସହିତ ଉଜ୍ଜୀବିତ କରିଥିଲେ । ଏଥିସହ କାର୍ଯ୍ୟକ୍ରମରେ ରେଡ୍ଡୀ ସମାଜର ଗୁରୁ ଦାୟିତ୍ବ ଭାର ଗ୍ରହଣ କରିଥିବା ସଭାପତି ଶ୍ରୀ ରେଡ୍ଡୀ ନିଜ ବକ୍ତବ୍ୟରେ ସଙ୍ଘଠନର ଆବଶ୍ୟକତାରେ ସମସ୍ତ ସଦସ୍ୟଙ୍କ ଅବଦାନ ଅପରିହାର୍ଯ୍ୟ ରହିବା ସହ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାମାଜିକ ସଂଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହିପରି ସମାଜରେ ବୃଦ୍ଧି ପାଇ ଆସୁଥିବା ବାଲ୍ୟବିବାହ ଦୂରୀକରଣ , ଗରିବ ପିଲାମାନଙ୍କୁ ଶିକ୍ଷା ଯୋଗାଇବା , ଯୈାତୁକ ନିର୍ଯ୍ୟାତନା , ପରିବାର ମଧ୍ୟରେ ବଢୁଥିବା ଭାତୃତ୍ବ କଳହ , ଦମ୍ପତି କଳହ ଉପରେ ଗୁରୁତ୍ବ ଦେବା ସହ ରେଡ୍ଡୀ ସମାଜର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଯଥେଷ୍ଟ ଗୁରୁତ୍ବ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ରେଡ୍ଡୀ ସମାଜର ଚାରି ତାଲୁକାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ ।

