
ଆସିକା ପୌର ପରିଷଦର ୱାର୍ଡ ନମ୍ବର–୧୩ରେ ଅବସ୍ଥିତ କରୋନେସନ ପାର୍କ (ଇନ୍ଦିରା ପାର୍କ)ର ନବୀକରଣ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଆସିକା ବିଧାୟକ ସରୋଜ କୁମାର ପାଢ଼ୀ। ପାର୍କରେ ଥିବା ବିଭିନ୍ନ ଶିଶୁ ମନୋରଞ୍ଜନ ଉପକରଣର ନବୀକରଣ ସହ ପାର୍କର ସୌନ୍ଦର୍ଯ୍ୟବର୍ଦ୍ଧନ କରାଯିବ।
ଆସିକା ପୌର ପରିଷଦ ପକ୍ଷରୁ ୯ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି। ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ପାର୍କକୁ ପୁନଃ ସୁନ୍ଦର ଓ ଆକର୍ଷଣୀୟ କରି ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଉପଯୋଗୀ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
କାର୍ଯ୍ୟକ୍ରମରେ ଆସିକା ପୌର ପରିଷଦର ଅଧ୍ୟକ୍ଷା ବିନେତା ସ୍ୱାଇଁ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ପୂର୍ବତନ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ବିଜୟ ସ୍ୱାଇଁ, ବିଜୟ ନାହାକ, ଟୁଲୁ ଜେନା ଓ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ରଶ୍ମି ରାଣୀ ନାହାକ, ଦୀପ୍ତିମୟୀ ସାହୁ, ମାନସୀ ରାଣୀ ସାହୁ ଓ ଅଜିତ ପଟ୍ଟନାୟକ ସହଯୋଗ କରିଥିଲେ। ପାର୍କର ନବୀକରଣ ପରେ ଶିଶୁମାନଙ୍କ ସହ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଅଧିକ ଆକର୍ଷଣୀୟ ଓ ଉପଯୋଗୀ ହୋଇପାରିବ ବୋଲି ପୌର ଅଧ୍ୟକ୍ଷା ବିନେତା ସ୍ୱାଇଁ ପ୍ରକାଶ କରିଛନ୍ତି।
