ଧରାକୋଟ ଗଡର ମୁଖ୍ୟ ବଜାର ରାସ୍ତା ଏବେ ଜବରଦଖଲକାରୀ ଙ୍କ କବଳରେ ରହିଛି ।ଏହି ରାସ୍ତାର ଦୁଇ ପଟରେ ଦୋକାନ,ହୋଟେଲ, ମୁଖ୍ୟ ଡାକ ଘର,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଆଦି ରହିଛି । ଏହା ସହ ଏଠାରେ ବ୍ଲକ୍,ତହସିଲ,ଥାନା,ମେଡିକାଲ, କଲେଜ ସାଙ୍ଗକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ଶହ ଶହ ଲୋକ ବିଭିନ୍ନ କାମ ପାଇଁ ଏଠାକୁ ଆସନ୍ତି । ମୁଖ୍ୟ ବଜାର ରାସ୍ତାର ଦୁଇ ପଟରେ ନିଜ ନିଜର ମଟର ସାଇକେଲ,ସାଇକେଲ ସହ ଚାରି ଚକିଆ ଯାନ, ଅଟୋ ରିକ୍ସା ରଖନ୍ତି । ଯାହା ଫଳରେ ରାସ୍ତା ଅବରୋଧ ହୋଇ ରହୁଛି। ଏହି ରାସ୍ତା ଉପରେ ଗୋଦାମ ଗାଡି ମଧ୍ୟ ଦୀର୍ଘ ସମୟ ରହୁଛି। ଏହା ଦ୍ବାରା ଘରୋଇ ବସ, ଟ୍ରକ୍, ଟ୍ରାକ୍ଟର,ସରକାରୀ ଗାଡ଼ି ଯିବା ପାଇଁ ଦୀର୍ଘ ସମୟ ଲାଗୁଛି । ଏଣୁ ସମୟ ଅପଚୟ ହେଉଛି । ଉକ୍ତ ଗାଡ଼ି ମଟର ଯଦି ରଥ ପଦା ଠାରେ ରହନ୍ତା ତାହାହେଲେ ସମସ୍ୟା କିଛି ମାତ୍ରାରେ କମି ଯାଆନ୍ତା। ଅନ୍ୟ ପଟରେ ବଜାର ମଧ୍ୟରେ ଯାଇଥିବା ରାସ୍ତାର ଦୁଇ ପଟରେ ଥିବା ଡ୍ରେନକୁ ଅକ୍ତିଆର କରି ଏହା ଉପରେ କିଛି ଅସାଧୁ ବ୍ୟକ୍ତି ଗୃହ ନିର୍ମାଣ କରିଛନ୍ତି। ଏଣୁ ରାସ୍ତା ସଂକୀର୍ଣ୍ଣ ହେବା ସହ ନାଳ ର ପାଣି ରାସ୍ତା ଉପରେ ଯାଉଛି । ଯାହା ଫଳରେ ପରିବେଶ ଦୂଷିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଭଞ୍ଜନଗର ପୂର୍ତ୍ତ ବିଭାଗ ,ରାଜସ୍ବ ବିଭାଗ ଏବଂ ପୋଲିସ ତରଫରୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

