ଜଗନ୍ନାଥ ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ଧରାକୋଟ ରାଜା ପୁରୀ ବାଲି ହରିଚଣ୍ଡି ସହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ । ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳରେ ଧରାକୋଟ ଆସିଥିବା ଚତ୍ରକର ପରିବାର ଭୋକର ଭୂଗୋଳରେ ଏବେ ସନ୍ତୁଳିତ । ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଚିନ୍ତା ଘାରିଛି ସେମାନଙ୍କୁ। ସ୍ନାନ ବେଦିରୁ ଅଣସର ଘରକୁ ଠାକୁର ଯିବାପରେ ଆରମ୍ଭ ହୁଏ ତାଙ୍କର କାର୍ଯ୍ୟ। ଠାକୁରଙ୍କୁ ବସ୍ତ୍ର ପିନ୍ଧାଇ ବା , ଚିତ୍ରକରିବା ସେମାନଙ୍କ କାମ । ଯେଉଁ ହାତରେ ଠାକୁରଙ୍କ ସେବା କରନ୍ତି ବଳକା ସମୟରେ କାଠ,ମାଟି,ସିମେଣ୍ଟ ମୂର୍ତ୍ତି ତିଆରିକରି ସେସବୁକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ହେଲେ କରୋନା ରେ ସବୁକିଛି ସ୍ଥିତି ବଦଳି ଯାଇଛି । ରାଜା ଦେଇଥିବା ଜମି ପୁର୍ବଜ ମାନେ ବିକିଭଙ୍ଗି ଦେଇଛନ୍ତି। ଏବେ ପର୍ବପର୍ବାଣୀରେ ମୂର୍ତ୍ତି ବିକ୍ରି କରିବା ସହ କୌଳିକ ପ୍ରଥାକୁ ଏଡାଇ ରାଜମିସ୍ତ୍ରୀ କାମ ଅପନାଇଛନ୍ତି ଏଠାକାର ଚାରୋଟି ପରିବାର । ଯେଉଁ ହାତ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି, ତୋରଣ,ମନ୍ଦିର ଗଢ଼ିଥିଲା ସେହି ହାତରେ ସିମେଣ୍ଟ,ବାଲି, ଇଟାର ଘର ଗଢ଼ୁଛି। ରାଜା ଠାକୁରଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପାଇଁ ସେମାନଙ୍କୁ ପୁରୀରୁ ଆଣି ଚିତ୍ରକର ଉପାଧି ପ୍ରଦାନ କରିଥିଲେ। ପିଢ଼ି ପରେ ପିଢ଼ି ଠାକୁରଙ୍କ କାର୍ଯ୍ୟ ନିଷ୍ଠାର ସହ କରି ଚାଲିଥିବା ବେଳେ ରାଜ ରଜୁଡ଼ା ପ୍ରଥା ବିଲୋପ ହୋଇଯିବାପରେ ସେମାନେ ଉପଯୁକ୍ତ ପାଉଣା ପାଉନାହାନ୍ତି । ଏଣୁ ଅନ୍ୟ ଉପାର୍ଜନ ଆଡ଼କୁ ଅଗ୍ରସର ହେଲେଣି । କାରୋନା କଟକଣା ଏମାନଙ୍କ ହାତ ଗତ ଦୁଇ ବର୍ଷହେଲା ବାନ୍ଧି ରଖିଛି। ଚଳିତ ବର୍ଷ ଏକାଦଶୀ ଯାତ୍ରାରେ ମୂର୍ତ୍ତି ବିକ୍ରୀକରି ବେଶ୍ ଦୁଇପାଇସା ରୋଜଗାର କରିବାର ଆଶା ରଖିଛନ୍ତି ଚିତ୍ରକର ପରିବାର । କାରଣ ବଡ଼ଦାଣ୍ଡରେ ରଥ ଗଡ଼ିଲେ ହାତତିଆରି ମୂର୍ତ୍ତି , ମାଟି କଣ୍ଢେଇ ପସରା ମେଲି ବେଶ କିଛି ଉପାର୍ଜନ କରନ୍ତି ଏହି ପରିବାର । ବାର୍ଷିକ ଚଲଣୀର କିଛମାତ୍ରାରେ ଏଥିରେ ଚଳିଯାଏ ।ହେଲେ ଏହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନାହିଁ। ଏସବୁ ଜାଣି ସୁଧା ପିଢ଼ି ପରେ ପିଢ଼ି ବାପା,ଜେଜେ ଙ୍କ ଠାରୁ ଚିତ୍ରକର କାର୍ଯ୍ୟ ଶିଖି କୌଳିକ ବୃତ୍ତିକୁ ଉତ୍ତରାଧିକାରୀ ମାନେ ବଜାୟ ରଖିଛନ୍ତି । ହେଲେ ଆଗକୁ ଏଥିରେ ଘର ଚଳିବନି ବୋଲି କହନ୍ତି ଏଠାକାର ଚିତ୍ରକର ପରିବାରର ମୂରବୀ ସୁରେନ୍ଦ୍ର ମହାପାତ୍ର,ରାମହରି ମହାପାତ୍ର,ବିପ୍ର ମହାପାତ୍ର ଓ ଚନ୍ଦ୍ର ଶେଖର ମହାପାତ୍ର । ପେଟ ପୋଷିବାପାଇଁ ସରକାରୀ ପ୍ରୋଚ୍ଛାହନ ,ତାଲିମ, ଭତା ସହ ଗଢିଥିବା ମୂର୍ତ୍ତି ବିକ୍ରିପାଇଁ ବଜାରର ଆବଶ୍ୟକତା ରହିଛି। ଏଣୁ ସରକାର ସହାୟତାର ହାତ ବଢାଇଲେ ସୂଚାରୁ ରୂପେ ଠାକୁର ସେବା ସହ ପରିବାର ଚାଲିବାସହ କୌଳିକ ପ୍ରଥା ବଞ୍ଚିରହନ୍ତା ।
ସମସ୍ୟାରେ ଜର୍ଜରିତ ଧରାକୋଟ ଜଗନ୍ନାଥଙ୍କ ଚିତ୍ରକର
Read Time:3 Minute, 44 Second

