ବର୍ଷାକୁ ଚାହିଁ ଚାହିଁ ତିନି ଖଣ୍ଡ ପଞ୍ଚାୟତ ବାସୀ ଏବେ ନଈ ଉପରେ ନଦୀବନ୍ଧ ବାନ୍ଧିବାକୁ ବୁଢ଼ାରୁ ଭେଣ୍ଡିଆ ଅଣ୍ଟା ଭିଡିଛନ୍ତି ।ଏମିତିକି ପ୍ରତେକ ଘରରୁ ଜଣେ ଜଣେ ବ୍ୟକ୍ତି ଏହି ନଦୀବନ୍ଧ ନିର୍ମାଣରେ ନିୟୋଜିତ ହୋଇଛନ୍ତି।ଆସିକା ବ୍ଲକ ମଣ୍ଟପଡା ଗ୍ରାମ ପାର୍ଶ୍ୱ ଦେଇ ବାଘୁଆ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଜଳସେଚନ ବ୍ୟବସ୍ଥା ନାହିଁ।ସେପଟେ ଆବଶ୍ୟକ ମୁତାବକ ବର୍ଷା ନହେବାରୁ ଜମି ଚାଷ ପାଇଁ ପ୍ରସ୍ତୁତ ହୋଇନି ।ବିଲରେ ତଳି ପୋଡି ହଳଦିଆ ହୋଇ ଦୁବ ଘାସ ହେଲାଣି।ଏପରିକି ବର୍ଷା ଅଭାବ ଯୋଗୁଁ ଜମିରେ ହଳ ମଧ୍ୟ ବୁଲିନାହିଁ।ବର୍ଷା କୁ ଅପେକ୍ଷା କରି ଚାଷୀ ଆଷାଢ଼ ଯାଇ ଶ୍ରାବଣ ହେଲାଣି।ସ୍ୱର୍ଗ ଆଶ୍ରା ଜମିରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ସକାଶେ କଚିତ ଲୋକଙ୍କ ପାଖର ପମ୍ପ ସୁବିଧା ଅଛି ସିନା ୯୦ ପ୍ରତିଶତ ଚାଷୀଙ୍କ ପାଖରେ ସେ ସାଧନ ନାହିଁ।ତେଣୁ ଗାଁ ପାର୍ଶ୍ୱରେ ପ୍ରବାହିତ ବାଘୁଆ ନଇ ଉପରେ ନଦୀବନ୍ଧ କରିବାକୁ ପଣ କରି ଗ୍ରାମବାସୀ କାର୍ଯ୍ୟରେ ଲାଗିଛନ୍ତି।
ଆସିକା ବ୍ଲକ ଅନ୍ତର୍ଗତ ହରିଡାପଦର ପଞ୍ଚାୟତର ମଣ୍ଟପଡା,ହରିଡାପଦର,ଭେଙ୍କଟରାଇପଲ୍ଲୀ, କୁମ୍ଭାରୀ, ମାଗୁରା ଏବଂ ଜୟପୁର ପଞ୍ଚାୟତ ର ଜୟପୁର, କେନ୍ଦୁପଦର, ତରାସିଙ୍ଗି ଏବଂ ବ୍ରାହ୍ମଣଛାଇ ପଞ୍ଚାୟତର ଭେଟସିଙ୍ଗି,ଗୁଡିସର,ବ୍ରାହ୍ମଣଛାଇ ଏବଂ କବିସୂର୍ଯ୍ୟନଗର ବ୍ଲକ ବୋଲସର ପଞ୍ଚାୟତ ର ବୋଲସର ,ଅମ୍ବିଳାପଲ୍ଲୀ ଅଞ୍ଚଳର ଚାଷୀଙ୍କ ଦୁଇ ହଜାର ହେକ୍ଟର ଜମି ପାଇଁ ଜଳସେଚନ ସକାଶେ ବାଘୁଆ ନଦୀରେ ଉପରେ ଏକ ସ୍ଥାୟୀ ଆନିକେଟ ନିର୍ମାଣ କରାଯାଉ ବୋଲି ଦୀର୍ଘ ୨୦ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ଏଥି ପ୍ରତି ସରକାର ଙ୍କ ଚରମ ଉଦାସୀନତା ଯୋଗୁଁ ଚାଷୀ ଚାଷବାସ ହରାଇ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି।ସରକାର ଙ୍କ ଉଦାସୀନତା କାରଣରୁ ଶେଷରେ ମଣ୍ଟପଡା ଗ୍ରାମବାସୀ ଗାଁ ସଭାପତି ଗଜପତି ନାହାକଙ୍କ ନେତୃତ୍ୱରେ ପୂର୍ଣ୍ଣଚନ୍ଦ୍ର ବରାଡଙ୍କ ସଂଯୋଜନାରେ ପିଲରୁ ବୁଢ଼ା ପର୍ଯ୍ୟନ୍ତ ଏ ସମୂହ କାର୍ଯ୍ୟରେ ଶ୍ରମଦାନ କରି ନଦୀବନ୍ଧ ବାନ୍ଧି ପାଞ୍ଚଖଣ୍ଡ ଅଂଚଳର ଚାଷୀ ମୁହଁରେ ହସ ଫୁଟାଇବାରେ ସଫଳ ହୋଇ ଚାଷ ଉଜୁଡିବାରୁ ରକ୍ଷା କରିଛନ୍ତି।ତେଣୁ ସମଗ୍ର ଅଂଚଳରେ ମଣ୍ଟପଡା ବାସୀ ପ୍ରଶଂସା ପାଇବା ସହ ଉଦାହରଣ ସାଜିଛନ୍ତି।





