ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତର ଯୋଗୀଶ୍ବରୀ ସେବା ସମବାୟ ସମିତି ସଭାପତି ଭାବରେ ସୋମବାର ଦିନ ରାମନାଥ ବିଷୋୟୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଏହି ସମବାୟ ସମିତିର ନିର୍ବାଚନ ଲାଗି ୧୫ ଗୋଟି ଜୋନରୁ ୧୫ ଜଣ ଡ଼ାଇରେକ୍ଟର ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେମାନେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଜି ସଭାପତି ନିର୍ବାଚନ ରହିଥିବା ବେଳେ ରାମନାଥ ଏକାକୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅନ୍ୟ କୈାଣସି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ରାମନାଥ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରାଜକିଶୋର ବରାଡ ସୂଚନା ଦେଇଛନ୍ତି । ଏହାପରେ ବିଜୟୀ ସଭାପତି ରାମନାଥଙ୍କୁ ସେବା ସମବାୟର ସମସ୍ତ ଉପସ୍ଥିତ ଡାଇରେକ୍ଟର ପୂର୍ବତନ ସମବାୟ ସଂପାଦକ କେ . ତାରକେଶ୍ବର ଦୋରା , ଦାୟିତ୍ଵରେ ଥିବା ସଂପାଦକ କେ . ରାମବାବୁ ଦୋରା ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନବ ନିର୍ବାଚିତ ସଭାପତି ରାମନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସହଯୋଗ କାମନା କରିଥିଲେ ।

