କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ପଞ୍ଚାୟତ ଗରାପୁର ଗ୍ରାମର ୪୧ବର୍ଷିୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ଏପ୍ରିଲ 10 ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସା ଚାଲିଥିବା ସମୟରେ ହିଁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଡାକ୍ତର ପୋଷ୍ଟମୋର୍ଟମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ଓ ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ପୋଷ୍ଟମୋର୍ଟମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ପ୍ରତିନିଧି ତଥା ଓଡ଼ିଆ ସମାଜର ପ୍ରତିଷ୍ଠାତା ଶ୍ରୀ ଅରୁଣ କୁମାର ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି ପାର୍ଥିବଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।
ପାର୍ଥିବଶରୀର ଓଡ଼ିଶା ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

