ରାଜ୍ୟ ସ୍ତରୀୟ ସିନିୟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସିଙ୍ଗଲସ ଓ ଡବଲସ ଉଭୟ ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ଚାମ୍ପିୟନ ହୋଇଥିବା ଆସିକାର ଯୁବ ଖେଳାଳୀ ଅବିନାଶ ମୁନିଙ୍କୁ ଆସିକା ହରିହର ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି।ଆସିକା ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ବରିଷ୍ଠ ଖେଳାଳୀ ସାଗର ସାବତଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପଣ୍ଡିତ, ଆର୍. ଚିଦାନନ୍ଦ ଆଚାରୀ, ଅରୁଣ ଗୁପ୍ତା, ମନୋଜ ପାତ୍ର, ବାଳକୃଷ୍ଣ ରେଡ୍ଡୀ ଓ ପ୍ରଶାନ୍ତ କୁମାର ମୁନି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆସିକା ପାଇଁ ଗର୍ବ ଓ ଗୌରବ ଆଣିଥିବା ଅବିନାଶଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ଅବସରରେ ସ୍ଥାନୀୟ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଉପସ୍ଥିତ ରହି ଅବିନାଶଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଉତ୍ସାହିତ କରିଥିଲେ। ଅବିନାଶଙ୍କ ବାପା ମନୋଜ କୁମାର ମୁନିଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରକାଶ ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ବ୍ରହ୍ମପୁରସ୍ଥିତ ଉମା ଚରଣ ଇଞ୍ଜିନିୟରିଂ ସ୍କୁଲ ପରିସରରେ ତିନିଦିନିଆ ରାଜ୍ୟ ସ୍ତରୀୟ ସିନିୟର ଲେଭେଲ–୨ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଅବିନାଶ ମୁନି ସିଙ୍ଗଲସ ଓ ଡବଲସ ଉଭୟ ବିଭାଗରେ ଚାମ୍ପିୟନ ହୋଇ ଆସିକା ପାଇଁ ଗୌରବ ଆଣିଛନ୍ତି।ଅବିନାଶ ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲା ସ୍ତରର ବିଭିନ୍ନ ବର୍ଗରେ କ୍ରମାଗତ ଭାବେ ୧୪ ଥର ଚାମ୍ପିୟନ ହୋଇଥିବା ବେଳେ, ୨୦୨୪ ମସିହାରେ ରାଜ୍ୟ ସ୍ତରୀୟ ଡବଲସ ବିଭାଗରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ତାଙ୍କର ଲକ୍ଷ୍ୟ ହେଉଛି ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା।
ସମ୍ବର୍ଦ୍ଧନା ଉତ୍ସବରେ ଅବିନାଶ କହିଥିଲେ ଯେ, ଜୀବନରେ ନିର୍ଦିଷ୍ଟ ଲକ୍ଷ୍ୟ, ନିଷ୍ଠା ଓ ଏକାଗ୍ରତା ଥିଲେ ଯେକୌଣସି ଖେଳାଳୀ ସଫଳତା ହାସଲ କରିପାରିବେ। ତାଙ୍କର ଏହି ବାର୍ତ୍ତା ଉପସ୍ଥିତ କ୍ରୀଡ଼ାପ୍ରେମୀ ଓ ଯୁବ ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇଥିଲା।କାର୍ଯ୍ୟକ୍ରମରେ ଆସିକା ଇଣ୍ଡୋର ଷ୍ଟାଡିୟମର ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ ଚନ୍ଦନ ବେହେରା, କବିସୂର୍ଯ୍ୟନଗର ଇଣ୍ଡୋର ଷ୍ଟାଡିୟମର ପ୍ରଶିକ୍ଷକ ମନୋଜ ପାତ୍ରଙ୍କ ସମେତ ବହୁ ଖେଳାଳୀ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଅବିନାଶଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ରାଜ୍ୟ ସ୍ତରୀୟ ସିନିୟର ବ୍ୟାଡ଼ମିଣ୍ଟନରେ ଚାମ୍ପିୟନ ଅବିନାଶ ମୁନିଙ୍କୁ ଆସିକାରେ ସମ୍ବର୍ଦ୍ଧନା
Read Time:3 Minute, 12 Second

