ଶ୍ରବଣ ମାସର ପ୍ରଥମ ସୋମବାର ଯୋଗୁଁ କାହିଁ କେତେ ଆଡୁ ମାଇଲ ମାଇଲ ବାଟ ଚାଲି ମହିଳା, ପୁରୁଷ ଓ କୁନି କାଉଡ଼ିଆମାନେ ଋଷିକୂଲ୍ୟା ନଦୀପଠାରେ ଜମା ହୁଅନ୍ତି। ନଦୀରେ ସ୍ନାନ କରି ବାଲୁକାରେ ଶିବଲିଙ୍ଗ ସ୍ଥାପନ କରିବା ସହ ପଣ୍ଡିତଙ୍କ ଦ୍ଵାରା ସଂକଳ୍ପ ହୋଇ ହୋମ ,ଯଜ୍ଞ କରିବା ସାଙ୍ଗକୁ କାଉଡ଼ିଆମାନଙ୍କ ଭୋଳା ବାବାର ଡାକରେ ପ୍ରକମ୍ପିତ ହୋଇ ଉଠେ ସାରା ଅଞ୍ଚଳ। ୟାପରେ ପବିତ୍ର ଜଳକୁ ସଂଗ୍ରହ କରି କାଉଡ଼ିଆ ମାନେ ଚାଲନ୍ତି ନିଜନିଜର ଗନ୍ତବ୍ୟ ସ୍ଥଳକୁ।ବୋଲବମ ଭଳି ପବିତ୍ର ନିଷ୍ଠା ଓ କଷ୍ଟର ଏହି ଯାତ୍ରା କୁ କିଏ ଭକ୍ତିର ସହ ପାଳନ କରନ୍ତି ତ ଆଉ କିଏ ଏହାକୁ ମନୋରଞ୍ଜନ ଭାବେ ଗ୍ରହଣ କରନ୍ତି। ଆଉ କେତେକ ଦେଖାଣିଆ ଭାବେ ବୋଲବମ ଦଳରେ ସାମିଲ ହୋଇ ଗଞ୍ଜେଇ ,ବିଡ଼ି ,ସିଗାରେଟ ଟାଣୁ ଥିବାରୁ ଏହା ଆମ୍ଭ ସଂସ୍କୃତି ପ୍ରତି ଅପମାନ ହେଉଛି।
ଜାତି, ବର୍ଣ୍ଣ, ଭେଦଭାବ ନଥାଇ ଯେକୋୖଣସି ହିନ୍ଦୁମାନେ ବୋଲବମ ଯାତ୍ରାରେ ସାମିଲ ହୋଇପାରିବାର ପରମ୍ପରା ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ବର୍ଷାର ଜଳକୁ ନଦୀରୁ ସଂଗ୍ରହ କରି ଶିବ ମସ୍ତକରେ ଢାଳିଲେ ଅଭିଷ୍ଠ ସିଦ୍ଧି ପ୍ରାପ୍ତ ହୁଏ ବୋଲି ପ୍ରବାଦ ରହିଛି।
କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବୋଲବମ ଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ ବୋଲବମ ଯାତ୍ରା ହଉଥିବାରୁ କାଉଡ଼ିଆଙ୍କ ମଧ୍ୟରେ ହର୍ଷ ଓ ଉଲ୍ଲାସ ଖେଳିଯାଇଛି। ନିଜ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତମାନେ ଏହିଦିନ କୁ ଅପେକ୍ଷା କରି ରହିଥିଲେ। ଖାଲିପାଦରେ ଓଦାଲୁଗା ପିନ୍ଧି, କାନ୍ଧ ରେ ବାହୁଙ୍ଗି ଧରି,ମୁହଁରେ ଭୋଳାବାବାଙ୍କ ନାମ ନେଇ ଶହଶହ କିଲୋମିଟର ଯାତ୍ରା କରନ୍ତି କାଉଡ଼ିଆମାନେ। ପ୍ରଭୁଙ୍କ ଅଶେଷ କୃପାରୁ ଭକ୍ତଙ୍କ ଦୁଃଖ ଜଣା ପଡେନି ବୋଲି କୁହନ୍ତି କାଉଡ଼ିଆ।
ମହିଳା କାଉଡ଼ିଆମାନେ ମଧ୍ୟ ପୁରୁଷ କାଉଡ଼ିଆଙ୍କ ଠାରୁ କିଛି କମ ନୁହଁନ୍ତି। ମନସ୍କାମନା ପୂର୍ଣ୍ଣ ପାଇଁ ମନରେ ସଂକଳ୍ପ କରି ମହିଳା କାଉଡ଼ିଆମାନେ ବି ପୁରୁଷ କାଉଡ଼ିଆଙ୍କ ଠାରୁ ଅଧିକ ନିଷ୍ଠାର ସହ ପାଳନ କରନ୍ତି। ସେଥିପାଇଁ ଶହଶହ କିଲୋମିଟର ଚାଲି ଖରା ,ବର୍ଷା ଓ ରାତ୍ରୀକୁ ଭୃକ୍ଷେପ ନକରି ବୋଲବମ ଯାତ୍ରାରେ ସାମିଲ ହୁଅନ୍ତି।
ଆସିକାରୁ ନୀଳାଞ୍ଚଳ ଗୌଡଙ୍କ ରିପୋର୍ଟ

