ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଶାସନ ଗ୍ରାମର ନିକଟରେ ଯାନଵିଲି ରୁଗୁମୁ ବଡଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କଡ଼ରେ ତିନି ଛକ ଠାରେ ଅବସ୍ଥିତ ଯାତ୍ରୀ ବିଶ୍ରାମ ଗାର ସଂପ୍ରତି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହାର ପଛ ପଟ କାନ୍ଥରେ ଏକ ବରଗଛ ଉଠି ଦିନକୁ ଦିନ ବଢୁଥିବା ଯୋଗୁଁ କାନ୍ଥ ସବୁ ଫାଟି ଗଲାଣି । ସାମନାରେ ଥିବା ବସିବା ଚଉକି ଫାଟି ଦବିଗଲାଣି। ଆଖ ପାଖ ଅଂଚଳରେ ଲଟା ବୁଦା ବଢ଼ିରହିଥିବା ଯୋଗୁଁ ସରୀସୃପ ରହୁଥିବା ଭୟରେ ଲୋକେ ଏଠାରେ ବିଶ୍ରାମ ନେବାକୁ ନିରାପଦ ମଣୁ ମହାନ୍ତି । ଦୀର୍ଘ ତିରିଶ ବର୍ଷ ପୂର୍ବେ ଏହାର ନିର୍ମାଣ କରାଯାଇଥିଲା । ଛାତ ଦୁର୍ବଳ ହୋଇ ସେଥିରୁ ପାଣି ଗଳୁଥିବା ବେଳେ କାନ୍ଥ ଫାଟି ଯାଇ ଥିବାରୁ ଏହା କେଉଁ ମୁହୂର୍ତ୍ତରେ ଭୁସୁଡ଼ିବ ତାହା କହିହେଉ ନାହିଁ । ଏହି ରାସ୍ତା ଦେଇ ଦୈନିକ ବହୁ ଯାତ୍ରୀବାହୀ ବସ,ଟ୍ରାକ୍ଟର,ଅଟୋ,ମଟର ସାଇକେଲ ସାହାଯ୍ୟରେ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ତିନି ଛକରେ ଅବସ୍ଥିତ ଏହି ଯାତ୍ରୀ ବିଶ୍ରାମ ଗାର ଉପରେ ନିକଟସ୍ଥ ପଦ୍ମପୁର, ମହୁଲ ପଲ୍ଲି, ଓଳମ୍ବା,ଶାସନ ଗ୍ରାମର ଲୋକେ ନିର୍ଭର କରନ୍ତି। ଏହାଛଡା ରାସ୍ତାରେ ଯାଉଥିବା ଲୋକେ ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ଏଣୁ ବ୍ଲକ୍ ପ୍ରଶାସନ ତରଫରୁ ତୁରନ୍ତ ଏହାର ନିର୍ମାଣ ପାଇଁ ନାୟେବ ସରପଞ୍ଚ ସଚିଦାନନ୍ଦ ତ୍ରିପାଠୀ ଦାବୀ କରିଛନ୍ତି। ଏହାର ନିର୍ମାଣ କରାଗଲେ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

