ଗଂଜାମ ଜିଲ୍ଲା କାହିଁକି ବାହାର ଜିଲ୍ଲାରେ ମଧ୍ୟ ଧରାକୋଟ ବ୍ଲକ ର ଜଗମୋହନ ଗ୍ରାମର କଂସା,ପିତଳ କାମର ବେଶ ଚାହିଦା ସବୁଠି ରହିଛି। ଗ୍ରାମରେ ବସବାସ କରୁଥିବା ୪୫୦ ଗୋଟି ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ୧୫୦ ଗୋଟି ପରିବାର କଂସାରି ସମ୍ପ୍ରଦାୟର । ଗ୍ରାମରେ ୧୦୦ ଗୋଟି ପଞ୍ଜୀକୃତ ଶାଳ ମଧ୍ୟରୁ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ୩୫ ଗୋଟି ଶାଳ ବନ୍ଦ ହୋଇ ୬୫ଟି ଶାଳ ଚାଲୁଛି। ଏଣୁ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର କୌଳିକ ବୃତ୍ତି କୁ ଆପଣାଇ ଥିବାବେଳେ ଅନ୍ୟ ମାନେ କୃଷି, ବ୍ୟବସାୟ ଏବଂ ଦାଦନ ଖଟି ପରିବାର ଚଳାଉଛନ୍ତି। ଗତ ୧୯୬୪ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସରକାର ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଉଥିଲେ। ଏଣୁ ଅଧିକାଂଶ ପରିବାର ଭଲ ରୋଜଗାକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କଞ୍ଚାମାଲ ଯୋଗାଣ ବନ୍ଦ ହୋଇଯିବାରୁ ଏବେ ବ୍ରହ୍ମପୁର, ବେଲଗୁଣ୍ଠା ,ଭଞ୍ଜନଗର, ବଳକାଟି ଓ ରଥିଯେମା ର ମହାଜନ ଠାରୁ ଅଧିକ ମୂଲ୍ୟ ଦେଇ କଞ୍ଚାମାଲ ଆଣିବାକୁ ପଡୁଛି । ଏଣୁ ନିର୍ମାଣ ସାମଗ୍ରୀର ମୂଲ୍ୟବୃଦ୍ଧି ହେବାସହ ଗ୍ରାହକ ସଂଖ୍ୟା କମୁଛି। ଯାହା ଫଳରେ ପନ୍ଦର ଦିନ ଶାଳ ଚାଲିଲେ ପନ୍ଦର ଦିନ ବନ୍ଦ ରହୁଛି।ଜଣେ ବ୍ୟକ୍ତି ୨୬୦ ଟଙ୍କାରୁ ୪୫୦ ପର୍ଯ୍ୟନ୍ତ ଶାଳରେ କାମକରି ପାଇଥାଏ। ସବୁଦିନ କାମ ନମିଳିବାରୁ କେତେକ ଶାଳ ବନ୍ଦ ରହିଥିବାବେଳେ କେତେକ ପରିବାର ଏହି କଂଶାରୀ କାମ ଛାଡି ଅନ୍ୟ ବୃତିକୁ ଆପଣାଇ ଚାଲିଛନ୍ତି। ଏଠାକାର କଂସାରୀ ଶାଳରେ ହାଣ୍ଡି, ମାଠିଆ, ଥାଳି, ଚଢ଼ୁଆ, ଗିନା,ଫୁଲତୋଡ଼ା, ଖଟୁଳି ସହ ଠାକୁରଙ୍କ ନାଗ, ,ସିଂହାସନ,ହାତ,ଗୋଡ଼,ଶଙ୍ଖ,
ଚକ୍ର, ଗଦା,ପଦ୍ମ ଭଳି ସାମଗ୍ରୀ ତିଆରି ହେଉଛି । ଏସବୁ ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର, ଭଞ୍ଜନଗର ବଜାରକୁ ବିକ୍ରି ପାଇଁ ପଠା ଯାଉଛି। ଅନ୍ୟାନ୍ୟ ଗ୍ରାମରୁ ଆସୁଥିବା ଠାକୁରଙ୍କ ପାଇଁ ସାମଗ୍ରୀ ଅର୍ଡର ଅନୁସାରେ ଯୋଗାଇ ଦିଆଯାଉଛି। ହେଲେ କଞ୍ଚାମାଲ
ନମିଳିବାରୁ ଗାଁ,ଗାଁ ରୁ ପୁରୁଣା ବାସନ କୁସନ କିଣି ଶାଳ ଚଳାଇବାକୁ ପଡୁଛି । ଶ୍ରମିକଙ୍କୁ ଉପଯୁକ୍ତ କାମ ମିଳୁନି । ଶାଳ ସଂଖ୍ୟା ଦିନକୁ ଦିନ କମୂଛି। ଏଣୁ ସରକାର ଏ ଦିଗରେ ଦୃଷ୍ଟଦେଇ କଞ୍ଚାମାଲ ଯୋଗାଇ ଦେବାକୁ ଗ୍ରାମର ପ୍ରକାଶ ସାହୁ, ପ୍ରଫୁଲ୍ଲ ମହାରଣା,ଜୟ କୃଷ୍ଣ ମହାରଣା ଓ ଭାସ୍କର ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
କଞ୍ଚାମାଲ ଅଭାବରୁ ଜଗମୋହନର କଂସାରୀ ଶାଳ ବନ୍ଦ ହେବ !
Read Time:3 Minute, 0 Second

