ଜାଲ୍ ନମ୍ବର କାରରେ ଗଞ୍ଜେଇ ଚାଲାଣ
ଭଂଜନଗର – ଗାଡ଼ି ଥିଲା , ଚକାଚକ୍ । ଜଣାପଡ଼ୁଥିଲା ସତେ ଯେମିତି , କୈାଣସି ବଡ଼ବଡ଼ିଆ ବାବୁ ଯାଉଛନ୍ତି । ହେଲେ ରାସ୍ତାରେ ଛକି ରହିଥିଲା ଅବକାରୀ ବିଭାଗର ଗୁଇନ୍ଦା ଟିମ୍ । ସଂପୃକ୍ତ କାର କୁ ଦେଖିବା ମାତ୍ରେ , ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଟିମ୍ । କିନ୍ତୁ ଗାଡ଼ି ଛାଡି ଘଟଣା ସ୍ଥଳରୁ ଡିଆଁ ମାରିଲେ ୨ ମାଫିଆ । ଗାଡିକୁ ତଲାସି ବେଳେ ବାହାରିଲା ବସ୍ତା ବସ୍ତା ଗଞ୍ଜେଇ । କାଲି ସେତିକି ନୁହେଁ , କାର୍ ର ଆଗ ଓ ପଛରେ ଲାଗିଥିବା ନମ୍ବର ପ୍ଲେଟ୍ ନକଲି ଥିଲା । ଉପରେ ଷ୍ଟିକର ଲଗାଇ ଲେଖା ଯାଇଥିଲା , ଓଆର୍ – ୦୨ ବି କିଉ ୭୮୫୮ । ଷ୍ଟିକର ବାହାର କରିବା ପରେ ତଳେ ଲେଖା ହୋଇଥିଲା , ଡବ୍ଳ୍ୟୁ ବି ୦୨ ଏସି – ୫୨୬୨ । ଏମିତି ଭିଆଇପି ଢାଞ୍ଚାରେ ଗଞ୍ଜେଇ ଚାଲାଣ , ଅବକାରୀ ବିଭାଗର ଅତର୍ରିକ୍ତ ଚଢ଼ାଉ , ଘଟଣା ସ୍ଥଳରୁ ମାଫିଆ ଚମ୍ପଟ ମାରିବା ଏବଂ ବସ୍ତା ବସ୍ତା ଗଞ୍ଜେଇ ଜବତ , ଦେଖି ଛାନିଆ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ । ଏ ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗୋଛାବାଡି ଗାଁ ନିକଟର ଘଟଣା । ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଗଞ୍ଜେଇ ଚାଲାଣ ହେଉଥିବା ନେଇ , ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପାଖରେ ଖବର ପହଞ୍ଚିଥିଲା । ବ୍ରହ୍ମପୁର ରୁ ଟିମ୍ ଆସି ଗୋଛାବାଡି ଗାଁ ନିକଟରେ ଜଗି ରହିଥିଲେ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରୁ , ଏକ ସିଟି ହୋଣ୍ଡା କାର୍ ରେ ଆସୁଥିଲା ଗଞ୍ଜେଇ । ଅବକାରୀ ଟିମ୍ କୁ ଦେଖି , ଘଟଣା ସ୍ଥଳରେ ଗାଡ଼ି ରଖି ଡ୍ରାଇଭର ସହ ଜଣେ ମାଫିଆ ଚମ୍ପଟ ମାରିଥିଲେ । କାର୍ ଭିତରୁ ୧୨୦ କିଲୋ ଗଞ୍ଜେଇ ଜବତ ହେବା ସହ , ସଂପୃକ୍ତ ଗାଡିକୁ ଜବତ କରି ବ୍ରହ୍ମପୁର କାର୍ଯ୍ୟାଳୟ କୁ ନେଇଥିଲେ ଅବକାରୀ ଟିମ୍ । ଏନେଇ ୬୮୧/୨୨ ରେ ଏକ ମାମଲା ରୁଜୁ ହୋଇଛି । ଗାଡ଼ିଟି କଲିକତା ଯାଉଥିବା , ବିଭାଗୀୟ କର୍ମଚାରୀ ଙ୍କ ଠାରୁ ସୂଚନା ମିଳିଛି ।


